ମାମୁଁ ଘର


ମାମୁଘର ମୋର ରମାଦେଇପୁର

ବଣ ପାହାଡ଼ ରେ ଘେରା,,

ଡାହlଣେ ଗୋବରୀ ବାମେ ଦୁଗ୍ଧବତୀ*

ମଧ୍ୟ୍ୟରେ ସତୀଚଉଁରା*

ସତୀଚଉଁରା ରେ ବୁଢ଼ୀ ଜାଗୁଳେଇ

ଗ୍ରାମ୍ୟ ଦେବତୀ ମନ୍ଦିର,,

ଗୋବରୀ କୂଳରେ  ଅଷ୍ଟ ମହାଦେବ 

ଦୁଗ୍ଧବତୀ ପ୍ରିୟ ମୋର ll

ମାମୁ ଘର ଗଲେ ମାଇଁ ଦୁଗ୍ଧଭାତ

ବଳେଇ ଖୁଆଇ ଦିଏ,,

ହେଲେ ସବୁବେଳେ ମନ ମଧ୍ୟେ ମୁହିଁ

ମାମୁଙ୍କୁ ତ ଡରୁଥାଏ l

ମାମୁ ଙ୍କର ଲମ୍ବା  ନିଶ ରହିଥାଏ

ବିଜୁବାବୁ*ଙ୍କ ଚେହେରା,,

ବlହୁ ମୁଳ ତାଙ୍କ ଶlଳୁଆ ବାହି'କି

ଆଖି ଟିକେ ଖାଲି ଟେରା ll

ଭୀମ ଗର୍ଜନ ର ଗମ୍ଭୀର ବଚନ

ମାଇଁ ହୁଏ ଥର ହର,,

ଆଇ କିନ୍ତୁ ତାଙ୍କୁ ତିଳେ ଡରେ ନାହିଁ

କାନ ଧରି ଦିଏ ତାର* (ତାଙ୍କର ) ll

ସପ୍ତସତୀ ପାଖେ ବଡ଼ ଚଉପlଠୀ (ପୁରୁଣା କାଳିଆ ଉଚ୍ଚl ପକ୍କା ଚାନ୍ଦିନୀ )

ନ୍ୟାୟ ନିଶାପ ହୁଅଇ,,

ଲୁଚି ଛପି ଗଲେ  ସାଥି ପିଲା ମେଳେ

ମାମୁଙ୍କ ପାଟି ଶୁଭଇ ll

ମାମୁଘର ଗାଁଆ  ଜହ୍ନ ଭାରି ସଫା

ଦିନପରି ଦିଶେ ରାତି,,

ଆଈ ବୁଢ଼ୀ ପାଖେ ଗପ ଶୁଣୁ ଶୁଣୁ

ମନେ ଭୁତ ଆସେ ମାତି ll

ମାମୁଘର  ବାଡ଼ି ସେ ମିଠା ପିଜୁଳି

ଆଜିବି ମନରେ ଅଛି,,

ଯେବେ ଯାଇଥାଏ ପେଟ ଭରି ଖାଏ

ବାଛି ବାଛି ଖାଏ, କଷି ll

ଗାଁ ତୋଟା ମାଳ,ସେଇ  ତାଳ ବଣ

ବାଇଆ ଚଢେ଼ଇ ଘର,,

ଯୋର ପୁଷ୍କରିଣୀ,କାର୍ତ୍ତିକ ପୁନେଇଁ

ଅତି ଦିଶେ ମନୋହର ll

ମାମୁ ଘର କୋଠି ପାରେନା ମୁଁ ଉଠି

ନାଗ ଜଗିଥାଏ ତହିଁ,,

ଅଜା କହିଥିଲେ ଲକ୍ଷ୍ମୀ ଯଗିଛନ୍ତି

ଧାନ କିଏ ଯିବ ନେଇ ll

କାଳିଆ ଓ ଧଳା  ଦୁଇଟି ବଳଦ

କାନ୍ଧ କୁ ହାତ ପାଏନା,,

ହଳିଆ ଯୋଟିଲେ ହଳ କେବେ କେବେ

ମାମୁ ହୁଅନ୍ତି ସାହାରା ll

ଆଜି କେବେ ଗଲେ ମାମୁ ଘର ବୁଲି

ଆଗ ବାଗ ଆଉ କାହିଁ,,

ଆଜି ମାମୁ ଘର ସେ ଦିନ ବ୍ୟବସ୍ଥା 

ସେକାଳ ପଖାଳ ନାହିଁ ll


ଶରତ ଚନ୍ଦ୍ର ପଣ୍ଡା 

*ନଗୁଆଁ, ଦରକୁଣ୍ଡି, ଯାଜପୁର l*

Comments